Search
ଓଡିଆ ରଚନା ସାଧାରଣତନ୍ତ୍ର ଦିବସ
ପବିତ୍ର ଜନରାଜ୍ୟ ଦିବସ
୧୯୪୭ ମସିହାରୁ ଅଗଷ୍ଟ ମାସ ୧୫ ତାରିଖକୁ ଯେପରି ସ୍ଵାଧିନତା ଦିବସ ଭାବେ ପାଳନ କରାଯାଉଛି ସେହିପରି ୧୯୫୦ ମସିହାଠାରୁ ଜାନୁଆରୀ ୨୬ ତାରିଖକୁ ସାଧାରଣତନ୍ତ୍ର ଦିବସ ବା ଜନରାଜ୍ୟ ଦିବସ ଭାବେ ପାଳନ କରାଯାଇଆସୁଅଛି ା ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଆମ ଦେଶ ଇଂରେଜ ଶାସନରୁ ମୁକ୍ତ ହୋଇ ସ୍ଵାଧିନତା ପ୍ରାପ୍ତ ହୋଇଥିଲା ସତ; ମାତ୍ର ଦେଶ ଶାସନ ପାଇଁ କୌଣସି ନୀତି ନିୟମ ପ୍ରଣୟନ ହୋଇନଥିଲା କି ସମ୍ଵିଧାନ ନଥିଲା ା ୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖରେ ଆମ ଦେଶ ଭାରତବର୍ଷ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ରୂପେ ପରିଚିତ ହେଲା ା
ପାଳନ ବିଧି
ଏହି ମହାନ ରାଷ୍ଟ୍ରୀୟ ପର୍ବକୁ ବହୁ ଆଡମ୍ଵର ସହକାରେ ପାଳନ କରାଯାଏ ା ରାଜଧାନୀ ଦିଲ୍ଲୀର ଇଣ୍ଡିଆଗେଟଠାରେ ମହାସମାରୋହରେ ଏହା ଅନୁଷ୍ଠିତ ହୁଏ ା ଏହି ଉତ୍ସବରେ ରାଷ୍ଟ୍ରପତିଙ୍କୁ ଅଭିବାଦନ ପ୍ରଦାନ କରାଯାଏ ା ଜଳ, ସ୍ଥଳ ଓ ବାୟୁସେନା ମୁଖ୍ୟଙ୍କ ଠାରୁ ରାଷ୍ଟ୍ରପତିଙ୍କୁ ଉଚ୍ଛ୍ଵସିତ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଏ ା ଏହି ଉତ୍ସବକୁ ମନଭରି ଉପଭୋଗ କରିବା ପାଇଁ ଦିଲ୍ଲୀ ତଥା ଭାରତର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଜନତା ଆସି ଇଣ୍ଡିଆଗେଟଠାରେ ସମବେତ ହୁଅନ୍ତି ା ଶାନ୍ତି ଶୃଙ୍ଖଳାର ସହିତ ଏହି ପର୍ବଟିକୁ ପାଳନ କରାଯାଇଥାଏ ା
ପ୍ରାୟ ସକାଳେ ନିର୍ଦ୍ଧାରିତ ସମୟରେ ରାଷ୍ଟ୍ରପତି ଏକ ସୁସଜ୍ଜିତ ଗାଡିରେ ଆସି ମଞ୍ଚ ନିକଟରେ ଉପସ୍ଥିତ ହୁଅନ୍ତି ା ଅଶ୍ଵାରୋହୀ ଦେହରକ୍ଷୀମାନେ ତାଙ୍କର ଉଭୟ ପାର୍ଶ୍ଵରେ ଥାଆନ୍ତି ା ଅଭିବାହନ ମଞ୍ଚର ପାର୍ଶ୍ଵରେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ଆମ ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଉଚ୍ଚପଦାଧିକାରୀମାନେ ଉପସ୍ଥିତ ଥାଆନ୍ତି ା ରାଷ୍ଟ୍ରପତିଙ୍କୁ ପ୍ରଥମେ ପ୍ରଧାନମନ୍ତ୍ରୀ ସ୍ଵାଗତ ଜଣାଇ ମଞ୍ଚ ନିକଟକୁ ନିଅନ୍ତି ା ଠିକ୍ ସେହି ସମୟରେ ୨୧ ଥର ତୋପ ସଲାମି ଦିଆଯାଏ ା ସୈନିକମାନେ ବାଦ୍ୟଧ୍ଵନି ପରିବେଷଣ କରନ୍ତି ା ଏହାପରେ ରାଷ୍ଟ୍ରପତି ରାଷ୍ଟ୍ରବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରନ୍ତି ା ତତ୍ପରେ ଦେଶପାଇଁ ବିଭିନ୍ନ ସମୟରେ ପ୍ରାଣବଳୀ ଦେଇଥିବା ସୈନିକମାନଙ୍କୁ ଏଠାରେ ଉପାଧି ଓ ଫଳକ ପ୍ରଦାନ କରନ୍ତି ା ଜଳ, ସ୍ଥଳ ଓ ଆକାଶବାହିନୀର ସୈନିକମାନଙ୍କ ତରଫରୁ ଚିତ୍ତାକର୍ଷକ ପ୍ୟାରେଡ଼ ପ୍ରଦର୍ଶନ କରାଯାଇଥାଏ ା ସୈନିକମାନେ ଘୋଡା, ହାତୀ, ଓଟ ଉପରେ ରଙ୍ଗ ବେରଙ୍ଗର ପୋଷାକ ପରିଧାନ କରି ରାଷ୍ଟ୍ରପତିଙ୍କୁ ଅଭିବାଦନ ପ୍ରଦାନ କରନ୍ତି ା ଏହାପରେ ଇଣ୍ଡିଆଗେଟଠାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ଦୀର୍ଘ ବାର କିଲୋମିଟର ପଥରେ ବିଭିନ୍ନ ରାଜ୍ୟରୁ ଆସିଥିବା ନର୍ତ୍ତକ ନର୍ତ୍ତକୀମାନଙ୍କ ଦ୍ଵାରା ଲୋକନୃତ୍ୟ ପ୍ରଦର୍ଶନ କରାଯାଏ ା ଖୋଲା ମଟରଗାଡିରା ନର୍ତ୍ତକ ନର୍ତ୍ତକୀମାନେ ସେମାନଙ୍କ ରାଜ୍ୟର ପାରମ୍ପାରିକ କଳାକୃତି ପ୍ରଦର୍ଶନ କରନ୍ତି ା ଶେଷରେ ବାୟୁସେନାର ସୈନିକମାନେ ସ୍ଵତନ୍ତ୍ର ହେଲିକେପ୍ଟରରେ ଆକାଶମାର୍ଗରୁ ତଳକୁ ଆସି ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇବା ପରେ ଉତ୍ସବ ସମାପନ ହୁଏ ା
ରାଜଧାନୀ ଦିଲ୍ଲୀ ବ୍ୟତୀତ ଆମ ଦେଶର ବିଭିନ୍ନ ରାଜ୍ୟର ରାଜଧାନୀମାନଙ୍କରେ, ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟମାନଙ୍କରେ ଏହି ଦିବସ ଯଥାବିଧି ପାଳନ କରାଯାଏ ା ଆମ ଦେଶ ବାହାରେ ରହୁଥିବା ଭାରତୀୟମାନେ ମଧ୍ୟ ଏହି ଦିବସଟିକୁ ଆତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନର ସହିତ ପାଳନ କରିଥାନ୍ତି ା ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ପ୍ରଥମେ ପ୍ରଭାତଫେରୀ କରନ୍ତି ା ତତ୍ପରେ ଜାତୀୟ ପତାକା ସମ୍ମୁଖରେ ବୃତ୍ତାକାରରେ ଦଣ୍ଡାୟମାନ ହୋଇ ପତାକା ଉତ୍ତୋଳନ କରନ୍ତି ା ତତ୍ପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମିଠାଇ ବିତରଣ କରାଯାଏ ଓ ତତ୍ପରେ ଉତ୍ସବ ପାଳନ ସମାପନ କରାଯାଏ ା
ଆମରାଜ୍ୟର ରାଜଧାନୀ ଭୁବନେଶ୍ଵରରେ ଏହି ଉତ୍ସବ ମହାସମାରୋହରେ ପାଳନ କରାଯାଏ ା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରମାନେ ଓଡିଶାର ପାରମ୍ପାରିକ ଲୋକନୃତ୍ୟ ପରିବେଷଣ କରିବା ସହିତ ପାଲା, ଦାସକାଠିଆ, ସୁଆଙ୍ଗ ଓ ଶାସ୍ତ୍ରୀୟ ନୃତ୍ୟ ଭାବରେ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥାଏ ା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍କାଉଟସ୍ ଓ ଗାଇଡ ପ୍ରତିନିଧି, ଏନସିସିର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ପ୍ୟାରେଡ ପ୍ରଦର୍ଶନ କରନ୍ତି ା
ସଂକଳ୍ପବଦ୍ଧର ଦିବସ
ସାଧାରଣତନ୍ତ୍ର ଦିବସ ପାଳନ ମନରେ ଯେତିକି ଗର୍ବ ଆଣେ ସେତିକି ମଧ୍ୟ ଦୁଃଖ ଆଣେ ା ଆମ ଦେଶ ଭାରତବର୍ଷ ଏହା ମଧ୍ୟରେ ଯଥା ସମ୍ଭବ ଉନ୍ନତି କରିଛି; ମାତ୍ର ଭାରତବର୍ଷର ସୁଖଶାନ୍ତି ଅପହଞ୍ଚ ପାଲଟି ଯାଇଛି ା ହିଂସାକାଣ୍ଡ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ପ୍ରଧାନ ଅନ୍ତରାୟ ହୋଇ ଦଣ୍ଡାୟମାନ ହୋଇଛି ା କେବଳ ସାତିକି ନୁହେଁ ଦାରିଦ୍ର୍ୟ, ଦୁର୍ନୀତି, ଅସ୍ପୃଶ୍ୟତା, ଅଶିକ୍ଷା, ଅଜ୍ଞାନତାର ଚେର ମାଡିମାଡି ଚାଲିଛି ା ତେଣୁ ଏଇ ପବିତ୍ର ଦିବସରେ ଏହିସବୁ ସମସ୍ୟାକୁ ଦୂରିଭୂତ କରିବାପାଇଁ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ ଏବଂ ଶାସକବର୍ଗ ସମସ୍ତେ ଶପଥ ନେବା ଉଚିତ ା ଆମେ ଯଦି ଆମର ତ୍ରୁଟି ବିଚ୍ୟୁତିକୁ ଦୂର କରିବାକୁ ଚେଷ୍ଟା ନ କରିବା, ତାହାହେଲେ ଆମେ ବାହ୍ୟ ବିପଦରୁ ସହଜରେ ମୁକୁଳି ପାରିବା ନାହିଁ ା
ଉପସଂହାର
ଆମ ଦେଶ ଭାରତବର୍ଷ ଏକ ଉନ୍ନତ ପରମ୍ପରା ଓ ଐତିହ୍ୟବୋଧ ଉପରେ ପ୍ରତିଷ୍ଠିତ ା ଆମର ପରମ୍ପରା ମହାଭାରତଠାରୁ ଆରମ୍ଭ କରି ଇଂରେଜ ଶାସନ ପର୍ଯ୍ୟନ୍ତ ଭାରତୀୟମାନଙ୍କୁ ଏକତ୍ଵର ମହାମନ୍ତ୍ରରେ ବାନ୍ଧି ରଖି ପାରିଛି ା ଏତଦ୍ ବ୍ୟତିତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକାଠି ବଞ୍ଚି ରହିବା ମନୋବୃତ୍ତି ରହିଛି ା ଭାରତବର୍ଷରେ ଯେତେ ବିଭେଦ ଥିଲେ ମଧ୍ୟ ଏହାର ଏକ ଜାତୀୟ ପରମ୍ପରା ରହିଛି ା ଏକତ୍ର ବାସ କରିବାର ମନୋବୃତ୍ତି ରହିଛି ା ଗୋଟିଏ ଜାତି ହୋଇ ବଞ୍ଚି ରହିବାର ଆଦର୍ଶ ମଧ୍ୟ ଆମ ଭିତରେ ଅଛି ା ତେଣୁ ଜନସାଧାରଣଙ୍କ ହୃଦୟରେ ଏହି ଜାତୀୟବୋଧକୁ ଉଦ୍ରେକ କରିବା ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅନୁଚିନ୍ତା ହେବା ଦରକାର ା
*****
Excellent
ReplyDeleteExcellent
ReplyDelete